Unknown

 

 

 

 

 

 

 

 

 

କଳିଯୁଗ ଚଉତିଶା

ଶ୍ରୀ ଅରକ୍ଷିତ ଦାସ

 

ରାଗ–ରସକୋଇଲା

 

କଳିଯୁଗ ପ୍ରାଣୀଙ୍କର ଯେ ଗତି ।

କଉତୁକରେ ଶୁଣ ଦେଇ ମତି ।

କପାଳୀ କହନ୍ତି କାଳୀଙ୍କ ଆଗେ ।

କବି ଯେ ରଚଇ ମନ ସରାଗେ ହେ ।

କହୁଛି ନ ଧର ଦୋଷ ହେ ।

କୃଷ୍ଣ ନାମ ତେଜି କଳିରେ ନିମଜ୍ଜି ମନରେ ହୋଇ ହରଷ ହେ ।୧।

 

ଖଣ୍ଟପଣେ ପର ବିତ୍ତ ଯେ ହରି ।

ଖାଇବା ପାତ୍ରରେ ବିଷ ଯେ ଭରି ।

ଖଚୁଆମାନେ ଯେ ଏ ନ୍ୟାୟପତି ।

କ୍ଷିତି-ପତି ଯେ ସଭାରେ ବସନ୍ତି ହେ ।

ଖାଲି ମିଥ୍ୟ ପ୍ରଚାରେକ ହେ ।

ଖନ୍ଦ ଥାଉ କର ଘେନନ୍ତି ସତ୍ୱର ନ କରି ମନେ ବିବେକ ହେ ।୨।

 

ଗଞ୍ଜାଇ ମଦିରା ରଞ୍ଜାଇ ଚିତ୍ତ ।

ଗୁଲିକି ଭୁଞ୍ଜନ୍ତି କେତେ ପଣ୍ଡିତ ।

ଗ୍ରାମ ଗୀତରେ ସେ ରଖିଣ ମତି ।

ଗୁପ୍ତ ଜ୍ଞାନ ବିକ୍ରି କଲେଣି ଯତି ଯେ ।

ଗୋ-ପଥମାନ ଯେ ହରି ଯେ ।

ଗାବମାନେ ଆଜି ତିରଣ ନ ପାଇ ହତାଶ ହୋଇଣ ଝୁରି ଯେ ।୩।

 

ଘରମାନଙ୍କରେ ଘୋର କନ୍ଦଳ ।

ଘରଣୀମାନେ ଯେ ହୋଇ ବିହ୍ୱଳ ।

ଘେନି ହିଂସାବାଦ ହୃଦରେ ପୁଣି ।

ଘରୁ ବାହାରି କୁଳ ଭୁଆଷୁଣୀ ଯେ ।

ଘେନି ପରପୁରୁଷକୁ ଯେ ।

ଘର ସେ କରିଣ ନିର୍ଭୟ ହୋଇଣ ରହିଅଛନ୍ତି ମନକୁ ଯେ ।୪।

 

ଉତଳା ହୋଇଣ 'ବିଧୁବଦନୀ *

ଅନ୍ୟ ପୁରୁଷର ସଙ୍ଗେ ରଜନୀ ।

ଆଣି ନିଧୁବନ ମୋହି ତା ମନ ।

ଅବଜ୍ଞା କରି ପତି ପ୍ରାଣଧନ ଯେ ।

ଅଣାଇ ଗୁଣିଆ ପୁଣି ଯେ ।

ଆୟତ୍ତ କରନ୍ତି ଔଷଧ କରାଇ କେହୁ କରେ ଡାକପାଣି ଯେ ।୫।

 

*

ବିଧୁବଦନୀ - ଚନ୍ଦ୍ରବଦନୀ

 

 

ଚତୁରୀ କେହୁ କରିଣ ଚାତର ।

ଚିତ୍ତେ ଶାଶୁଙ୍କୁ ନ ଥାଇ ତା ଡର ।

ଚାକରାଣୀ ପ୍ରାୟେ ଚିତ୍ତରେ ମଣି ।

ଚୋର ପ୍ରାୟେ ଦଣ୍ଡ ଦିଅନ୍ତି ପୁଣି ସେ ।

ଚରଣକୁ ଡେଇଁ ଯାନ୍ତି ସେ ।

ଚୋର କୁପୁରୁଷ ଲଭିଣ ହରଷ ମନକୁ ସତୀ ବୋଲନ୍ତି ସେ ।୬।

 

ଛତ୍ରୀ ବୀରମାନେ ସଂଗ୍ରାମ ଦେଖି ।

ଛାଡ଼ି ପଳାଉଛନ୍ତି ହୋଇ ଦୁଃଖୀ ।

ଛାପା ତିଳକ କାଟିଣ ବହୁତ ।

ଛନ୍ଦ ତପସ୍ୱୀ ହୋଇଣ ପୂଜିତ ଯେ ।

ଛିଦ୍ର କଥାମାନ ଧରି ଯେ ।

ଛୋଟ ଲୋକ ସଙ୍ଗେ ସଙ୍ଗ ହୋଇ କରି ଧର୍ମ୍ମ କର୍ମ୍ମ ଦେଲେ ସାରି ଯେ ।୭।

 

ଜଉତିଷମାନେ ଯୋଗ ନ ଜାଣି ।

ଜଳ ଅକାଳେ ବୃଷ୍ଟି ହୁଏ ପୁଣି ।

ଯତିମାନେ ଯୁଆଖେଳରେ ମଗ୍ନ ।

ଯୁବତୀମାନେ ହୋଇଣ ଉଲଗ୍ନ ହେ ।

ଜଳେ ସ୍ନାହାନ ସେ କରି ଯେ ।

ଜାତି ଅଜାତି ଏକକାର ହୋଇଲେ ସାତ ପାଞ୍ଚ ବରେ ବରି ଯେ ।୮।

 

ଝଗଡ଼ା କରି ସହୋଦରମାନେ ।

ଝିମିଟେ ଧନ ହରାଇ ଅଜ୍ଞାନେ ।

ଝୁରି ତନୁକ୍ଷୀଣ ଯେତେ କଲେଣି ।

ଝାତିକାରେ ଭିନ୍ନ କୁମରମଣି ଯେ ।

ଝିମିଟେ ଭୀତି ନ କରି ଯେ ।

ଝାଟୁଆରେ ମାରି ତେଜି ଗର୍ଭଧାରୀ ଲଭି ପରମାସୁନ୍ଦରୀ ଯେ ।୯।

 

ନବ ନାଗରୀ ଯେ କରି ସାହସ ।

ନିଜ ସ୍ୱାମୀ ମଥା ଛୁଇଁ ଅବଶ୍ୟ ।

ନେଇଣ ଧାର ବଡ଼ ମାଣେ ଗୋରୀ ।

ଲୋଭ ହେତୁରୁ ଅଗାଡ଼ି ଯେ ଭରି ସେ ।

ନାଞ୍ଚ ଦେବାର ଯେ ମୂଳ ଯେ ।

ଲୋକଙ୍କୁ ଭଣ୍ଡିଣ ନାଟିକା ଦେଖିଣ ଔଷଧ ଦେଇ କେବଳ ଯେ ।୧୦।

 

ଟଙ୍କା ମୁଣ୍ଡରେ ଦେଢ଼ି କଳନ୍ତର * ।

ଟାଣ ଧନୀମାନେ ଧରି ସତ୍ୱର ।

ଟୋକାମାନେ ସଭାପତି ବୋଲାନ୍ତି ।

ଟାପରା ବୃଦ୍ଧମାନଙ୍କୁ କରନ୍ତି ଯେ ।

 

 

ଟଙ୍କାରୁ ଯେ ଟେକ ଜନେ ଯେ ।

ଟୋକାମାନେ ଛାତି ଫୁଲାଇ ଚାଲନ୍ତି ନିର୍ଭୟ ହୋଇ ସେମାନେ ଯେ ।୧୧।

 

*

କଳନ୍ତର - ସୁଧ

 

ଠକାର କରି ହରି ପର ବିତ୍ତ ।

ଠକମାନେ ସବୁଠାରୁ ମହତ୍ତ୍ୱ ।

ଠିକଣା ବଚନ ଲଙ୍ଘନ କରି ।

ଠାକୁରମାନଙ୍କୁ ସେ ହାସ୍ୟ କରି ସେ ।

ଠସାରେ ଉଡ଼ାଇ ଦ୍ୟନ୍ତି ଯେ ।

ଠିଆ ଚିତା କାଟି ବୈଷ୍ଣବମାନେଟି ଗାରେଡ଼ି ମାଳ ଗଡ଼ାନ୍ତି ହେ ।୧୨।

 

ଡରି ରହିଲେଣି ସେ ଗୁରୁଜନ ।

ଡହଳ ବିକଳ ତାଙ୍କରି ମନ ।

ଡାକୁଥିଲେ ଶ୍ରବଣ ଯେ ନ ଡେରି ।

ଡିହାପଣରେ ଯାଉଛନ୍ତି ସରି ସେ ।

ଡର ଯେ ନାହିଁ କାହାର ହେ ।

ଡିମ୍ୱ କାଳରୁ ଯେ ସନ୍ତାନକୁ ପାଳି ତା ସଙ୍ଗେ କରି ବିହାର ଯେ ।୧୩।

 

 

 

ଢମ କରିଛନ୍ତି ବଡ଼ିମାପଣେ ।

ଢାଳେ ସମୁଦ୍ରକୁ ଡରନ୍ତି.ବ୍ରାହ୍ମଣେ ।

ଢାଳ ଟେକି ଢାଳି ଦିଅନ୍ତି ନୀର ।

ଢଗ ଢମାଳୀରେ ମତି ତାଙ୍କର ଯେ ।

ଢାଳେ ସେ ବେଦ ପାଶୋରି ଯେ ।

ଢୋକି ସୁରାପାଣି କେବଳ ସେ ପୁଣି ହୋଇଲେଣି ବ୍ରହ୍ମଚାରୀ ହେ ।୧୪।

 

ଅଣଉପ୍ରୋଧୀ ଏ କାଳର ଜନେ ।

ଆଶା ଦେଇ ନ ଦିଅନ୍ତି ଭୋଜନେ ।

ଓପ୍ରୋଧ ନ କରି ଜୀବରେ ନିତି ଆପଣେ ହରନ୍ତି ପଶୁ.କୁଜାତି ସେ ।

ଅତି ଅମାର୍ଗେ ଗମନ ସେ ।

ଆପଣା ସ୍ତିରୀଙ୍କୁ ଅନ୍ୟ ନେଉଥାଇ ପର ଛିଦ୍ର ବିଚାରଣ ହେ ।୧୫।

 

ତରୁମାନେ କେତେ କରି ଛେଦନ ।

ତୁଷ୍ଟ ଯେ ନୁହନ୍ତି.କରି ଭୋଜନ ।

ତିଳେ ଗୋବିନ୍ଦ ନାମ ନ ଶୁଣନ୍ତି ।

ତପନେ କେତେ ଜଳ ନ ଦିଅନ୍ତି ହେ ।

ତୁଣ୍ତେ ଉଚ୍ଛିଷ୍ଟ ରଖିଣ ଯେ ।

ଡକାଇ ଯେ ନର ରବିକି ସତ୍ୱର କୁପଥେ କରି ଗମନ ହେ ।୧୬।

 

ଥୟ ଯେ ନୁହନ୍ତି ଥାନୀୟ ଲୋକେ ।

ଥାନେ ବେଥାନୀ.ହୋଇଲେ ମାଲିକେ ।

ଥୋକେ ବଚସ୍କର ତାଙ୍କୁ ହେଲେଣି ।

ଥାଉଁ ଘରେ ବିତ୍ତ ଭିକ୍ଷା କଲେଣି ହେ ।

ଥିର ନୁହନ୍ତି ଯେ କେହି ହେ ।

ଥୋଡ଼ିଆ ବଲଦ ଊପରେ ନଦନ ନଦିଣ ମାଡ଼ ମାର ହେ ।୧୭।

 

ଦେବା ହୃଦୟ ଯେ ନାହଁ କାହାରି ।

ଦୁଃଖୀଜନକୁ କେହୁ ମାଡ଼ ମାରି ।

ଦେଖି ହାସ୍ୟ କରନ୍ତି ଯେ ଧାର୍ମିକ ।

ଦେଲେ ଭିକ.କଳି କରେ ଅନେକ ଯେ !

ଦାମ୍ଭିକମାନେ ଯେ ପୁଣି ହେ ।

ଦିନେ ହରିନାମ ନ କରି ଶ୍ରବଣ ବୋଲନ୍ତି ଯେ ମହାଜ୍ଞାନୀ ହେ ।୧୮।

 

ଧରି କିରଣେ ୧ କେ ଚୂନ ପତର ।

ଧୀରେ ଖୋଜୁଥାନ୍ତି କାହିଁ ସୁତର ।

ଧମକ ଦେଖାଇ କରନ୍ତି ରଡ଼ି ।

ଧକାମାରି ଘେନିଯାନ୍ତି ଦାମୁଡ଼ି ସେ ।

ଧଡ଼ସେ କରନ୍ତି ହଳ ଯେ ।

ଧ୍ୟାନ ତେଜି ଦ୍ୱିଜ ହୀନବୁଦ୍ଧି ଆଜ ତିନିପ୍ରହରେ କେବଳ ହେ ।୧୯।

 

ନଦୀମାନେ କେତେ ଶୁଷ୍କ ହେଲେଣି ।

ନୀର ମଘବା ୨ ନ.ଦିଅନ୍ତି ପୁଣି ।

ନାରୀମାନେ କେତେ ଋତୁ ନୁହନ୍ତି ।

ନିଆଁର ତେଜ ମଳିନ ଦିଶନ୍ତି ଯେ ।

ନୃତ୍ୟରଙ୍ଗେ କେତେ ରତ ହେ ।

ନୀରସ ବୋଲାନ୍ତି ଫଳମାନେ ଜାଣ ବ୍ୟାଧି ଯେ ହୋଇ ବର୍ଦ୍ଧିତ ଯେ ।୨୦।

 

ପୟକୁ ବିଷ ମଣିଲେଣି ନର ।

ପୁରାଣ ଚୋରୀ କରନ୍ତି ସତ୍ୱର ।

ପଥେ ଖମ। ୩ ଖୋଳନ୍ତି ନ ବିଚାରି ।

ପୋଇଲି ୪ ହେଲେ ଘରେ ଅଧିକାରୀ ଯେ ।

ପଡ଼ି ଚର ଚଇ ନିତି ଯେ ।

ପ୍ରିୟାକୁ ତେଜିଣ ତା ପାଦେ ଭଜିଣ ହସ୍ତରେ ଦେଇ ସମ୍ପତ୍ତି ହେ ।୨୧।

 

ଫନ୍ଦା କଲେଟି ନ ଅଣ୍ଟଇ ଧନ ।

ଫୁଲରୁ କେତେ.ଅଗାଡ଼ି ହୋଇଣ ।

ଫିସାଦିଆମାନେ ପ୍ରବଳ ଅତି ।

ଫେରେ ହଲପ କେତେ କରୁଛନ୍ତି ସେ ।

 

 

ଫଣି ମଉଳିକି ୫ ଧରି ଯେ ।

ଫୋପାଡ଼ି ଦେଇଣ କରି ସେ ଯେ ଭଗ୍ନ ସାହସ ମନରେ କରି ହେ ।୨୨।

 

୧.

କିରଣ – ହସ୍ତ

୨.

ମଘବା – ଇନ୍ଦ୍ର

୩.

ଖମା – ଖାଲ

୪.

ପୋଇଲି – ଦାସୀ

୫.

ଫଣିମଉଳି – ମହାଦେବ ।

 

 

 

ବଡ କୃପଣ ସାହୁକାରମାନେ ।

ବାଣିଜ୍ୟେ ମିଥ୍ୟା ଭାଷନ୍ତି ସେ ଜନେ ।

ବହୁତ ଧନ ହେତୁରୁ କୃପଣ ।

ବଚନ ଭାଷନ୍ତି ବଡ଼ ଦାରୁଣ ଯେ ।

ବିଦ୍ୟା ବ୍ୟୟ ନ କରନ୍ତି ସେ ।

ବୈଷ୍ଣବ ଯେ ଗୁରୁଜନକୁ ଦେଖିଲେ କେତେ ଟାପରା କରନ୍ତି ହେ ।୨୩।

 

ଭଗ୍ନୀ ସହୋଦରଙ୍କର ପୀରତି ।

ଭାବ ଲାଗିଥାଇ ତାଙ୍କର.ନିତି ।

ଭଣ୍ଡବାକ୍ୟମାନ ପଢ଼ନ୍ତି ଜାଣ ।

ଭୃତ୍ୟ ହୋଇ ପ୍ରଭୁ ଉପରେ ଜାଣ ଯେ ।

ଭଗବାନଙ୍କୁ ନ ଡରି ସେ ।

ଭକ୍ତମାର୍ଗ ଆଦି ତେଜ୍ୟା ସେ କରିଣ କେତେ ହୋଇ ବ୍ୟଭିଚାରୀ * ହେ ।୨୪।

 

*

ବ୍ୟଭିଚାରୀ – ଅତ୍ୟାଚାରୀ

 

ମହତ୍ୱଜନେ ଡରି ରହିଲେଣି ।

ଯବନେ ଓଡ଼ିଶା ଧନ ନେଲେଣି ।

ମାତ୍ର ଯେଉଁ ଭୂମି ଭରଣେ ଫଳି ।

ମିଥ୍ୟାରୁ ଶସ୍ୟ ଦାନି ମହୀଆଳୀ ଯେ ।

ମୁକୁନ୍ଦଦେବ ରାଜୁତି ହେ ।

ମାଣ ମହରଗ ହେଉଛି ସଂଯୋଗ ମହାମାରୀରେ ମରନ୍ତି ହେ ।୨୫।

 

ଜଡ଼ା ହେଲେଣି ଜଗତ ଜୀବନ ଜଣାଇଲେ ପାପ ନୋହେ ଖଣ୍ଡନ ।

ଯୁଗାନୁସାରେ ମଉନ ହୋଇଲେ ।

ଜୀବରେ କେହି ଦୟା ନ କରିଲେ ଯେ ।

ଜଗନ୍ନାଥଙ୍କ ଭିଆଣ ଯେ ।

ଯୁଗ ଯେ ପ୍ରଳୟ ପ୍ରାୟେ ହୋଇଲାଣି ବହୁତ ମିଳେ କଷଣ ହେ ।୨୬।

 

ରତ୍ନାକର ହୋଇ କୂଳ ଲଙ୍ଘିଲେ ।

ରଙ୍କୁଣୀମାନେ ଧନବତୀ ହେଲେ ।

ରାଜାମାନେ କେହି ଯଜ୍ଞ ନ କରି ।

ରସି ଯୁଆ ଖେଳେ ଦିବା ଶର୍ବରୀ ହେ ।

ରାମ ନାମ ନ ଭଜନ୍ତି ସେ ।

ରୋଷେ ହୋଇ ମରାମରି ନରନାରୀ ବିଚାର ଯେ ନ କରନ୍ତି ହେ ।୨୭।

 

ଲକ୍ଷେ ଅର୍ଜ୍ଜିଲେ ପକ୍ଷକୁ ନ ଅଣ୍ଟି ।

ଲୋଭ ହେତୁରୁ ହୋଇ ବହୁ କଷ୍ଟି ।

ଲୁହା ପୟ ଅଙ୍ଗ ଦିଶଇ ଜାଣ ।

ଲଜ୍ଜ୍ୟା ପାନ କରି ଢଙ୍ଗ ହୋଇଣ ସେ ।

ଲୁବ୍‌ଧକ ପ୍ରାୟେ ସକଳେ ଯେ ।

ଲେଶେହେଁ ସୁଦୃଷ୍ଟି ମାତ୍ର ନ କରନ୍ତି ଜୀବ ମରନ୍ତି ବିକଳେ ଯେ ।୨୮।

 

ବହୁତ ବଚନ ବ୍ୟୟ କରନ୍ତି ।

ବୃଦ୍ଧଙ୍କୁ ଯେ ଚଳି ଜ୍ଞାନ ପୁଚ୍ଛନ୍ତି ।

ବାପ ଦୁହିତାଙ୍କୁ କରି ପ୍ରଦାନ ।

ବହୁତ ଧନେ ଆକୁଳ ହୋଇଣ ସେ ।

ବସି ଖାଇଲେ ନ ସରେ ଯେ ।

ବହୁତ କଷଣ ନନ୍ଦିନୀ ଲିଭିଣ ଝୁରିଣ ଦିନ ନ ସରେ ଯେ ।୨୯।

 

ଶନିଗ୍ରହେ ସୃଷ୍ଟି ମଧ୍ୟରେ ଦୃଷ୍ଟି ।

ଶଙ୍କା ତେଣୁ ତୋର ବହୁ ଅରିଷ୍ଟି ।

ସବୁରି ଅଙ୍ଗେ ପୀଡ଼ା ଅପ୍ରମିତ ।

ଶୂଦ୍ରମାନେ ଯେ ବୋଲନ୍ତି ପଣ୍ଡିତ ହେ ।

ଶିବଲିଙ୍ଗ ଭଗ୍ନ କରି ସେ ।

ସାର କଲେ ଚୋରୀ ହରି ବ୍ରହ୍ମସ୍ତିରୀ ପାପକୁ ଭୟ ନ କରି ହେ ।୩୦।

 

ସରଳ ହୃଦୟ ନୋହେ କାହାରି ।

ସାରଙ୍ଗଧର ନାମ ମଣେ ଐରୀ ।

ସମ୍ପଦେ ମାଦକ ଦ୍ରବ୍ୟ ଲଭିଣ ।

ଶିରୀଛଡ଼ା ଦିଶେ.ଦିଗ ବହନ ଯେ ।

ସମନ ଯନ୍ତ୍ରଣା ସହି ଯେ ।

ସ୍ତ୍ରୀମାନେ ଯେ ପୁଷ୍ପବତୀ ହୋଇ କରି ପୁରୁଷମାନଙ୍କୁ ଛୁଇଁ ଯେ ।୩୧।

 

ସଂସାର ଗତି ଯୁଧିଷ୍ଠିର ଶୁଣି ।

ସ୍ୱଦେହେଁ ଚଳିଲେ ସ୍ୱର୍ଗକୁ.ପୁଣି ।

ସଭିଏଁ ହରିନାମ ଆଶ୍ରେ କର ।

ସୁଖେ ବସିବ ଯେ ଅମର-ପୁର ହେ ।

ଶରୀରୁ ଛାଡ଼ କପଟ ଯେ ।

ସ୍ତିରୀ ସୁତା ସୁତ ସଙ୍ଗରେ ନ ଯିବେ ମଛକୁ ଏ ଛଟପଟ ହେ ।୩୨।

 

ହରିହୁଁ ଗତି ଅନ୍ୟ ନାହିଁ ଜାଣ ।

ହୃଦପଦ୍ମେ ଯେ ହରିନାମ ଗୁଣ ।

ହେଜିଲେ ହରିଯିବ ପାପମାନ ।

ହେଳା ନ କର ହେ ସୁଜ୍ଞାନୀଜନ ହେ ।

ହର ଯା ପୂଜନ୍ତି ବସି ଯେ ।

ହୀନ ଦୁର୍ବୁଦ୍ଧିକୁ ମନରୁ ତେଜିଣ ଭଜ ବେଗେ ବହ୍ମରାଶି ହେ.।୩୩।

 

କ୍ଷମାନିଧି ଶ୍ରୀଚରଣେ ଶରଣ ।

କ୍ଷନ୍ଦିଲେ ଖଗଇନ୍ଦ୍ର ଦୀନହୀନ ।

ଖିଳ ବହ୍ମାଣ୍ଡପତି କୃପା ବିନେ ।

କ୍ଷିତିରେ ଅନାଥ ହୋଇ ମୁଁ ଜନେ ଯେ ।

ଖେଦ ଜଳେ ଭାସୁଅଛି ଯେ ।

ଖଣ୍ଡିବେ ମୋ ଦୋଷ ପୀତବାସ ସତେ ଏ ଦୁଃଖ ଦେବେ କି ପୋଛି ହେ ।୩୪।

Image